Unknown

 

 

 

 

 

 

 

 

 

 

ସଙ୍କଟ ନାଶନ ସ୍ତବ

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

ପ୍ରଥମ ଛାନ୍ଦ

(ଆରତ ଧ୍ଵଂସନ ବୃତ୍ତେ)

 

ସଙ୍କଟ ନାସନ ପାପବିମୋଚନ ଆହେ ପ୍ରଭୁ ଦେବରାଜ,

ପୁଣ୍ୟପଥ ହୁଡ଼ି ପାପପଙ୍କେ ପଡ଼ି ପ୍ରାଣୀ ହୁଅନ୍ତି କଦର୍ଯ,

ଜଗବନ୍ଧୁ ହେ ।

ନ ପାଇ ମୁଁ ଥଳ ହୋଇ କଲବଲ କାତରେ କରେ ଗୁହାରୀ,

ଘେନ ମୋ ଜଣାଣ ଆହେ ଘନଶ୍ୟାମ କଷଣେ ଯାଉଛି ସରି,

ଜଗବନ୍ଧୁ ହେ ।୦।

 

(ପଡ଼ି ଛପୋଇ ବାଣୀ)

 

ହେ ନନ୍ଦନନ୍ଦନ ଜଗତ ବନ୍ଦନ

ଶ୍ରୀଛନ୍ଦାଚରଣ ମନୋହର,

ଶ୍ରୀକରେ ବଇଁଶୀ, ମୁଖମୃଦୁହାସୀ,

ଶଶି ନିନ୍ଦି ଦିଶେ ଚମତ୍କାର ।୧।

 

କଟିରେ କିଙ୍କିଣ ତ୍ରିଭଙ୍ଗିମଠାଣି,

ଲଲାଟେ ଚନ୍ଦନ ବିନ୍ଦୁ ଆଭା

ଶିରେ ଶିଖୀଚୂଡ଼ା ସେବତୀର ବେଢ଼ା,

ଗଳେ ବୈଜନ୍ତୀମାଳ ଶୋଭା ।୨।

 

ମକରକୁଣ୍ତଳ କର୍ଣ୍ଣେ ଢଳହଳ,

ନୟନ ଜଗତଜନ ମୋହେ ।

ଏମନ୍ତ ସାମନ୍ତ ହରିବେ ପାତକ

ବୋଲି ସନ୍ତତ କରୁଛି ଲୟେ ।୩।

 

ମୁଁ ଅତି ଅଧମ କର୍ମହୀନ ଜନ

ଜନମ ମୋହର ଧିକ ଧିକ

ମୋ’ ପରି ପାତକୀ ନ ଥିବେ ଏ କ୍ଷିତି,

ଅଜାମ୍ଵିଳୁ ବଳି ମୁଁ ଅଧିକ ।୪।

 

ପତିତ ତାରିବା ପାଇଁ ନୀଳଚକ୍ରେ

ଫର ଫର ଉଡ଼ାଉଛ ନେତ,

ନ କର ଅନାଥ ଆହେ ଜଗନ୍ନାଥ

ଜାଣିଅଛ ଆଗୁଁ ମୋ ବୃତ୍ତାନ୍ତ ।୫।

 

ଯେବେ ହେଲି ଦୋଷୀ ଦିଅ ଚକ୍ରପେଶି

ନକ୍ର ପରାୟେ ମୋ ଗତି ହେଉ

କହେ ବଇକୁଣ୍ଠ କରିଲେ କପାଟ

ଦାସ ନାଶଯିବ ଚାହୁଁ ଚାହୁଁ ।୬।

 

ଦ୍ଵିତୀୟ ଛାନ୍ଦ

 

କପାଳ ଲିଖନ କେ କରିବ ଆନ ସେହୁ ତ ହେଲା ଭଗାରୀ

କାଳ ପରାୟେ ଏ କୁହୁକିନୀ ମାୟା କରାଉଛି ଏତେ ସରି,

ଜଗବନ୍ଧୁ ହେ ।

ଶ୍ରୀପାଦେ ଶରଣ ନୋହି ଅକାରଣ ମୋହରେ ହୋଇଲି ଭ୍ରମ

ଏବେ ପଥ ହୁଡ଼ି କହେ ମୁଣ୍ତ କୋଡ଼ି ରଖ ରଖ ଗୁରୁବ୍ରହ୍ମ

ଜଗବନ୍ଧୁ ହେ ।୦।

 

ଗୀତା ଭଗବତ ବେଦ ତତ୍ତ୍ଵ ଅର୍ଥ

ଏମାନ ତ କିଛି ପଢ଼ି ନାହିଁ,

ତୋ ନାମରେ ମନ ଦେଇ ରାତ୍ରଦିନ

ସବୁ ଜାଣୁଛ ତ ଭାବଗ୍ରାହୀ ।୧।

 

କ୍ଷଣକ ପାଇଁକି ଏ ମନ ମୋହିକି

ଅଘ ତମେ ଆଚ୍ଛାଦିଲ କିମ୍ପା

ସେ କରୁଣା ଉଣା କରିବାରୁ ସିନା

ଅତି ଆରତେ ଛାଡ଼ୁଛି ଡକା ।୨।

 

ମହାପାପୀ ରାଜା ଅଜାମ୍ଵିଳ ସଜା

ମଜାରେ ଲଜ୍ଜାରୁ ଉଦ୍ଧାରିଲ

ବାରନାରୀ ବଶ ବିଭାଣ୍ତକ ଶିଷ୍ୟ,

ହେଲା ତା’ ଆଜ୍ଞାରେ ଜାତ ହେଲ ।୩।

 

ମୁହିଁ ମନ୍ଦବୁଦ୍ଧି ତହୁଁ କି ଅବିଧି

ପଣ ତୋ ଚରଣେ ଆଚରିଲି,

ନ ଢାଳି ନୟନ ରହିଛ ମଉନ,

ଜନ ଅପବାଦେ ନାଶଗଲି ।୪।

 

କଂସ କଉଣପ କଲା କେଉଁ ତପ,

ସ୍ଵହସ୍ତେ ତାହାକୁ କଲ ହତ,

ସ୍ଵଚକ୍ଷୁରେ ସେହି ତୁମ୍ଭ ରୂପ ଚାହିଁ,

ଜୀବାନ୍ତେ ପାଇଲା ମୁକ୍ତିପଥ ।୫।

 

ଏପରି ପ୍ରଭୁର ହୋଇ ମୁଁ କିଙ୍କର,

ବଡ଼ବାନଳେ କି ଯିବି ଜଳି ?

କହେ ବଇକୁଣ୍ଠ କାଳଗ୍ରହ ଖଣ୍ଟ,

ତୁମ୍ଭେ ଥାଉଁ ସେ କି ଦେବ ଗିଳି ।୬।

 

 

ତୃତୀୟ ଛାନ୍ଦ

 

ପୂର୍ବର ଅଜ୍ଞାନ ପାସୋରୁ ମୋ ମନ କର ସଦବୁଦ୍ଧି ଦାନ

ରସନା ମୋ ଆନରସରେ ନରସି ରଟୁ ହରେକୃଷ୍ଣ ନାମ ।

ଜଗବନ୍ଧୁ ହେ ।

ଫୁଟାଅ ମୋ ନେତ୍ର ଫୁରୁଣା ଜଗତ ଫାଙ୍କାରେ ନ ହେଉ ମୋହି,

ନ ଶୁଣୁ ମୋ କାନ ନିନ୍ଦା କଥା ମାନ ନାମେ ପାପ ହେଉ ଦହି

ଜଗବନ୍ଧୁ ହେ ।୦।

 

ଏ ଦୁଃଖସାଗରେ ଦଦରା ଡଙ୍ଗାରେ,

ମଝି ଦରିଆରେ ଭାସୁଅଛି,

ପ୍ରବଳ ପବନ ବଢ଼ି ଝଡ଼ି ଘନ –

ଅନ୍ଧାରେ ପଥ ନ ଦିଶେ କିଛି ।୧।

 

ରାହୁ ରୂପୀ କାଳ – କୁମ୍ଭୀର ବାହାର –

ହୋଇଣ ମନ ଉଚ୍ଛନ୍ନ କଲା,

ଧରି ତୁମ୍ଭ ଆଶ ଧୃତି ହେଲା ନାଶ,

ଦମ୍ଭ ପଣ କ୍ଷଣେ ଟାଳି ଦେଲା ।୨।

 

ପ୍ରକୃତି ଲହଡ଼ି – ଢେଉ ଦେଇ ଧାଡ଼ି,

ଛାତିରୁ ଅତଡ଼ା ଛିଡ଼ାଇବ,

ଘୋର ଘନରାତି ଭୁଲାଇଣ ମତି,

ତୋ ନାମ – ଆହୁଲା ହୁଡ଼ାଇବ ।୩।

 

ହୋଇଣ ନିରାଶ ହରାଇ ସାହସ,

ହୁରି ପକାଉଛି ବିକଳରେ,

ନ କରି ହତାଶ ଆହେ ହୃଷିକେଶ,

ହରଷେ ଲଗାଅ ସେ କୂଳରେ ।୪।

 

ହରିଛ ବିପତ୍ତି ଏ କେତେ ମାତ୍ରକି,

ପୂର୍ବହୁଁ ତାରିଛ ଯେତେ ଯେତେ,

ମୋପରି ଅରକ୍ଷ ରଖିବାକୁ ଲକ୍ଷ,

ନିଶ୍ଚେ ଥିବା ପରି ହୁଏ ପ୍ରତେ ।୫।

 

ଶରଣ ସୋଦର ଶ୍ରୀଶ୍ୟାମ ସୁନ୍ଦର,

ସସାଗରାଧରା ଅଧିକାରୀ,

ସାଦରେ ମୋ କଷ୍ଟ କରିଦେବେ ନଷ୍ଟ,

ହୃଷ୍ଟଚିତ୍ତେ କହେ ସ୍ପଷ୍ଟକରି ।୬।

 

ମୂଢ଼ ମନ୍ଦ ବ୍ୟାଧ ଶର ବିନ୍ଧିପାଦ,

ସରସେ ଚଳିଲା ସ୍ଵର୍ଗପୁର,

କହେ ବଇକୁଣ୍ଠ ଏପରି ମୋ ଇଷ୍ଟ,

ଥାଉଁ ମୁଁ କି ହେବି ହରବର! ।୭।

 

ଚତୁର୍ଥ ଛାନ୍ଦ

ବସଣ ଭୂଷଣ ଧନରତ୍ନମାନ ମୋର ଲୋଡ଼ା ନାହିଁ ଏହା

ଅଭୟ ଚରଣ ତଳରେ ଶରଣ ଦେଇ ରଖ ଚଉବାହା

ଜଗବନ୍ଧୁ ହେ ।

ବଜ୍ରସମ କାଳ ଗ୍ରାସେ ମହାବଳ, ଚକ୍ର ଛାୟା କରି ଦିଅ,

ଆସି ଅଛି ଯହୁଁ ତହିଁ ଫେରିଯାଉ, ଏତିକି ମାତ୍ର ବିନୟ,

ଜଗବନ୍ଧୁ ହେ ।୦।

 

କା ଆଗେ କହିବି ସନ୍ଦେହ ଦହିବି

ମରମ ବ୍ୟଥା ମୋ ଅଛି ଯାହା,

କେବଳ କାଳିଆ କାଳିନ୍ଦୀକୁଳିଆ

କାଳକାଳକୁ ହୋଇବେ ସାହା ।୧।

 

ବିଶ୍ରବାର ବଳା ନାରୀ ଚୋରୀ କଲା

ଗତି ଦେଲେ ତାକୁ ଯେଉଁ ପ୍ରଭୁ,

ଏମନ୍ତ ଦୟାର ହୃଦୟ ଯାହାର,

ସେ ମୋ ଦୁର୍ଗତି ହରିବେ ସବୁ ।୨।

 

ଭକତ ପାଇଁକି ଆସି ଏ ମହୀକି

ସହୁଥାନ୍ତି ଯେହୁ ନାନା ଦୁଃଖ,

ଭକତ ମାରଣା ବୋଲି ଗଲେ ଜଣା,

ରହିବ କି ପ୍ରଭୁ ପଣ ଟେକ ?

 

କାରଣ କରତା କଇବଲ୍ୟଦାତା

କରାଉଅଛ ତ ସବୁ କାମ,

ତୁମ୍ଭେ ସର୍ବସିଦ୍ଧି ଆହେ ଦୟାନିଧି

ନ ଜାଣି ନରେ ହୁଅନ୍ତି ଭ୍ରମ ।୪।

 

ବେଳୁ ବେଳ ଦୁଃଖ ହେଲା ଅତିରେକ,

କେତେକାଳ ମୁଁ ସହିବି ଆଉ,

ରଥାଙ୍ଗ ଚଳାଇ ଦିଅ ରମାସାଇଁ

ରାହୁ ପରି ବେନି ଖଣ୍ତ ହେଉ ।୫।

ଏ କଥା ପସନ୍ଦ ନ ହେଲେ ଗୋବିନ୍ଦ,

ମୋ ଶିରେ ସେ ଅସ୍ତ୍ର ଦିଅ ଥୋଇ,

କହେ ବଇକୁଣ୍ଠ ମୁଁ ମନ୍ଦ ପାପିଷ୍ଠ

ଏ ମୋ ଘଟ ଯାଉ ନଷ୍ଟ ହୋଇ ।୬।

 

ପଞ୍ଚମ ଛାନ୍ଦ

 

ନର ମହାମନ୍ଦ କାମେ ହୋଇ ଅନ୍ଧ ହରାଇଛି ସେ ବିବେକ,

ତା ହୃଦୟ ପୁରୀ ରହୀ ଚକ୍ରଧାରୀ ନବୁଝିଲ ତାର ଦୁଃଖ ।

ମହାପ୍ରଭୁ ହେ ।

ସେ ସିନା ଅଜ୍ଞାନ, ମୋହେ ହେଲା ଚ୍ଛନ୍ନ, ତୁମ୍ଵେ ଜ୍ଞାନଦାତା ପରା,

ଜ୍ଞାନବତୀ ଜାଳି ଦେଲେ ବନମାଳୀ ସେ କି ହୋନ୍ତା ପଥହରା,

ଜଗବନ୍ଧୁ ହେ ।୦।

 

ସେହୁ ଅଟେ ଧେନୁ ତୁମ୍ଭ ରକ୍ଷା ବିନୁ,

ଲୋଭେ ପର କ୍ଷେତ ଉଜାଡ଼ିଲା,

ବାଜିଲା ପାଞ୍ଚଣ ଭୋଗିଲା କଷଣ,

ଶାସ୍ତି କାରାଗାର ବନ୍ଦୀ ହେଲା ।୧।

 

ମୁକୁଳିବା କଥା ତୁମ୍ଭର ବ୍ୟବସ୍ଥା

ଯାହା ଇଚ୍ଛା ତାହା କରିପାର,

କରି ବୁଝାମଣା ନ କଲେ କରୁଣା,

ଆଉକି ଉପାୟ ଅଛି ତାର ।୨।

 

ସ୍ଵାମୀ ହୋଇ ଯେବା ନାରୀକୁ ଦଣ୍ତିବା,

ସାମନ୍ତପଣେ ନ ଦେଲେ କ୍ଷମା,

ସେ ହେବ କାହାର, କେବା ଅଛି ତାର,

କା ପାଶେ ରହିବ ତା ଗାରିମା ।୩।

 

ପିତା ହୋଇ ଯେବେ ପୁତ୍ରକୁ ମାରିବେ,

ସେ ଆଉ କାହାର ହୋଇବଟି,

କୋଟି ଅପରାଧ ନାନା ଛନ୍ଦମନ୍ଦ,

କରୁ ପଛେ ପିତା ସହିବେଟି ।୪।

 

ଗୁରୁ କଲେ ରୋଷ, ନାଶଯିବ ଶିଷ୍ୟ,

ଜଗତକୁ ହେବ ଅସୁନ୍ଦର,

ମନେ ସ୍ନେହ ବହି, ଶିଷ୍ୟକୁ ବୁଝାଇ,

ଦିଅନ୍ତି ସୁଖେ ଅସାର ସାର ।୫।

 

ସେହିପରି ଜାଣ, ଭକ୍ତ ଭଗବାନ

ବେନିଙ୍କ ମଧ୍ୟରେ କାରବାର,

କଳଙ୍କ ପଙ୍କରୁ ଉଦ୍ଧାରିବ ଗୁରୁ

କଷଣ ହରିବେ ବଇଆର ।୬।

 

ଷଷ୍ଠ ଛାନ୍ଦ

ଏତିକି ବିନତି କରୁଛି ଶ୍ରୀପତି ଦୟା କରିବ କି ସତେ

ଦାନାକନା କେବେ ନ ମିଳୁ ଏ ଭବେ ତୁମ୍ଭ ରୂପ ଦିଶୁ ନେତ୍ରେ

ଜଗବନ୍ଧୁ ହେ ।

ଭକ୍ଷି ଫଳମୂଳ ପିଇ ଝରଜଳ ଜୀବନ କରି ଧାରଣ

ନିନ୍ଦା ପରଶଂସା ଛାଡ଼ି ସବୁ ଆସା ଶ୍ରୀପାଦେ ରହୁ ମୋ ମନ

ଜଗବନ୍ଧୁ ହେ ।୦।

 

ତୋ ପାଦ ତୁଳସି ପାନେ ହୋଇ ଖୁସି,

ତୋ ନାମରେ ସୁଖୀ ହୋଇଥିବି,

ତୋତେ କରି ଫନ୍ଦା, ସହି ସବୁ ବାଧା

ପ୍ରେମେ ତୋ ବଦନ ଚାହୁଁଥିବି ।୧।

 

ଘୋଟିବ ଅନ୍ଧାର, ଭାଙ୍ଗିବ ସଂସାର,

ଅସାର ହୋଇବେ ବହୁଜନ

ଅକାଳ କୁହୁଡ଼ି ଚାହୁଁ ଯିବ ମାଡ଼ି

ପଡ଼ି ତହିଁ ଯେହ୍ନେ ନୋହେ ଚ୍ଛନ୍ନ ।୨।

 

ସେତିକି ବେଳରେ ନାମ ନାବପରେ

ବସାଇ କୂଳରେ ଲଗାଇଲେ,

ପାଇବି କାରଣ ତବ କୃପାପଣ,

ଟାଣ ବୋଲି ଜଣାଯିବ ହେଳେ ।୩।

 

ଠଉରାଣ ବେଳେ ଉଣ୍ତି ବେଳକାଳ,

ଠିକଣା କଥାକୁ ବତାଇବ,

ଠକି ଦେବ ନାହିଁ ଠୁଳ ଶୂନ୍ୟ ଦେହୀ

ଠାଠିକେ ଶ୍ରୀପାଦେ ଦେବ ଠାବ ।୪।

 

ଯେବେ ମୁଁ ପାତକୀ ଆହେ ପଦ୍ମ ଆଖି

ବିଚାରେ ଉଚିତ ଶାସ୍ତି ହେଉ,

ନିନ୍ଦା ତୋ ନାମରେ ନ କରନ୍ତୁ ନରେ,

ତୁମ ଯଶ କାଳେ କାଳେ ଥାଉ ।୫।

 

ଏହି କଥା ମୋ ହେଉଅଛି ଭୟ,

ଆଉ କାହିଁକି ମୋ ନାହିଁ ଡର,

ଏହା ମୋ ଜଣାଣ ଆହେ ନାରାୟଣ

କହେ ବଇକୁଣ୍ଠ ଦୂରାଚାର ।୬।

 

ସପ୍ତମ ଛାନ୍ଦ

 

ଜଗତ ଭିତରେ ଯେତେ ଭକ୍ତ ନରେ କର ବାରେ ଶୁଭାଶୀଷ

ତୁମ୍ଭ ଦୟା ହେଲେ ପ୍ରଭୁଙ୍କ ଛାମୁରେ ହେବ ମୋ ସଙ୍କଟ ଧ୍ଵଂସ

ଭକ୍ତ ଜନେ ହେ ।

ଭକ୍ତ ଜନେ ଯେବେ କୃପ ନକରିବେ, କୃପାଣ ହେବ ମୋ ପାଇଁ,

ଭକତଙ୍କ ବନ୍ଧୁ କରୁଣାର ବିନ୍ଦୁ ଦେବା ପ୍ରତେ ହେଉ ନାହିଁ ।

ଜଗବନ୍ଦୁ ହେ ।୦।

 

ଭକତ ସକଳ ଦେଖି ମୋ ବିକଳ,

ମୋ ଲାଗି ଆକୁଳେ ଜଣା ଥରେ,

ମୋର ଏ ଆରତୀ ହୋଇଲେ ନିଷ୍ପତ୍ତି

ଋଣୀ ହୋଇଥିବି ତୁମ୍ଭଠାରେ ।୧।

 

ବିଷପାନ କଲି ନ ମରି ଜୀଇଲି,

ତହିଁରୁ ରଖିଲେ ଯେଉଁ ପ୍ରଭୁ,

 

ସେ ତ୍ରାହି କରିବେ ସେ ତ୍ରାହି କରିବେ

ମୋ କର୍ମ କାରଣ ଜାଣି ସବୁ ।୨।

 

ଏକ ବିଂଶ ଦିନ ମାତା ମୋ ନିଧନ,

ପାଞ୍ଚବର୍ଷେ ପିତା ଗଲେ ନାଶ

ଯେ ଏହୁ ଜଗତେ ରକ୍ଷାକଲେ ମୋତେ,

ଏଥୁ ନିସ୍ତାରିବେ ସେ ଅବଶ୍ୟ ।୩।

 

ସହି ଦୁଃଖ ଭାର ନୋହି ଛାରଖାର

ରାତ୍ର ଦିବା ରାବ ଛାଡ଼ୁଅଛି,

ସାଧୁ ସୁଜ୍ଞନରେ ଉଚ୍ଚେ ଡାକ ହରେ

ଅକାଳ ଚଉକ ଯାଉ ଘୁଞ୍ଚି ।୪।

 

କୋଟି ପାପୁଁ ନର ହେବାକୁ ଉଦ୍ଧାର

ଯେ ନାମକୁ ଥାଏ ଆଶ୍ରାକରି

ସେ ନାମ ବିଶ୍ଵାସ କରିଲେ ଅବଶ୍ୟ,

ସବୁ ଦୁଃଖ ଯିବ ଅବସରି ।୫।

 

ସମ୍ଭାଳ ଶରଣ ଶ୍ରୀରଙ୍ଗା ଚରଣ,

ଏ ପିଣ୍ତ ପରାଣ ବନ୍ଧାଦେଲି,

 

ହୀନ କୁକରମେ ନ ଯିବି ଭରମେ

ପୂର୍ବରୁ ମୁଁ ସତ୍ୟ କରିଥିଲି ।୬।

 

ଏଥୁ ଅନ୍ୟ କିସ ଥିଲେ ପୀତବାସ

ଶ୍ରୀମୁଖରେ ଆଜ୍ଞାଦେବ ଯେବେ,

ନିଶ୍ଚୟ ପାଳିବି, ନିଶ୍ଚୟ ପାଳିବି,

ଅବହେଳା ନ କରିବି କେବେ ।୭।

 

କଲି କେଉଁ ଦୋଷ ମନେ ବହି ରୋଷ,

ବିରୋଧ ବାଣୀକୁ ଶୁଣାଇଲ,

ଚେତାଅନି ମୋତେ ଚିନ୍ତି ହୃଦଗତେ

ଚେତି ଚଳିବି ମୁଁ କାଳ କାଳ ।୮।

 

ନାହିଁ ଯେବେ କିଛି ଅନ୍ତରେ ଶ୍ରୀବତ୍ସୀ

କରୁଣା କୈବଲ୍ୟ ଦିଅ ଚାଣ୍ତେ,

ରହୁ ମୋ ମହତ ଶାନ୍ତ ହେଉ ଚିତ୍ତ

କାନ୍ଦି ନ ବୁଲେ ମୁଁ ଦାଣ୍ତେ ଦାଣ୍ତେ ।୯।

 

ଆହେ ସନ୍ଥ ଜନ ଘେନ ମୋ ଶରଣ,

ଜଣାଣ ଲଗାଅ ପ୍ରଭୁଠାରେ

ତୁମ୍ଭ ପାଦ ଧୂଳି ମୁଣ୍ତେ ଦେଇ ବୋଳି

ଦାସ କର ଜନ୍ମ ଜନ୍ମାନ୍ତରେ ।୧୦।

 

ବହିଯାଏ ବେଳେ ତୁଣ୍ତେ ନାହିଁ ବଳ

ଏତିକିରେ ମୋ କହିବା ଥାଉ,

ଯା ଆଜ୍ଞାରେ ଗିରି ହୁଏ ସୋଲ ପରି

ତାଙ୍କ ସୁଦୟା ହେଉ ବା ନୋହୁ ।୧୧।

 

ଯତନେ ଜଗତନାଥଙ୍କୁ ମୋ ଆର୍ତ୍ତ

ଯୋଡ଼କରେ ରହି ଜଣାଉଛି,

ଜଡ଼ ଜନ୍ତୁପରି ବଇ ବ୍ରହ୍ମଚାରୀ

ଜନେ ଜାଣିବାକୁ ଜୀଇ ଅଛି ।୧୨।